• May 31, 2023

ଭାରତର ପ୍ରଥମ ଆଉଟ୍‌ଡୋର ଅଭ୍ୟାସ, ଆଜି ଓହ୍ଲାଇବେ ଇଂଲଣ୍ଡ ଖେଳାଳି

Share it

ଚେନ୍ନାଇ: ଶୁକ୍ରବାରଠାରୁ ଆରମ୍ଭ ହେଉଥିବା ଇଂଲଣ୍ଡ ବିପକ୍ଷ ବହୁ ପ୍ରତୀକ୍ଷିତ ଚାରି ଟିକିଆ ଟେଷ୍ଟ୍ ଶୃଙ୍ଖଳା ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ ସଙ୍ଗରୋଧ ଅବଧି ଶେଷ କରିଛି। ସବୁ ଭାରତୀୟ ଖେଳାଳି, ପ୍ରଶିକ୍ଷକ ଏବଂ ସହକାରୀ କର୍ମଚାରୀଙ୍କ ସହ ଇଂଲଣ୍ଡ ଦଳର ସବୁ ଖେଳାଳିଙ୍କ ଦ୍ବିତୀୟ କୋଭିଡ୍ ପରୀକ୍ଷା ମଧ୍ୟ ନେଗେଟିଭ୍ ଆସିଛି। ଫଳରେ ଉଭୟ ଦଳକୁ ବାହାରେ ଅଭ୍ୟାସ କରିବାର ଅନୁମତି ମିଳିଛି। ପୂର୍ବରୁ ଦୁଇଟି ଯାକ ଦଳର ଖେଳାଳିମାନେ କେବଳ ବନ୍ଦ ଦ୍ବାର ଭିତରେ ଅଭ୍ୟାସ କରୁଥିଲେ। କୋଭିଡ୍ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ଭାରତୀୟ ଦଳ ସୋମବାର ସଂଧ୍ୟାରେ ପ୍ରଥମ ଆଉଟ୍‌ଡୋର ଅଭ୍ୟାସ କରିଛି। ଦଳ ମଧ୍ୟ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ଅଭ୍ୟାସ ଅଧିବେଶନର କିଛି ଫଟୋ ଛାଡ଼ିଛି। ଦଳକୁ ଦୀର୍ଘ ଦିନ ପରେ ଫେରିଥିବା ଦିଲ୍ଲୀ ଦ୍ରୁତ ବୋଲର ଈଶାନ୍ତ ଶର୍ମାଙ୍କୁ ଦଳୀୟ ସାଥୀମାନେ ଆଲିଙ୍ଗନ କରି ଅଭ୍ୟାସ ଅଧିବେଶନକୁ ସ୍ବାଗତ କରୁଥିବାର ଫଟୋ ପ୍ରଶଂସକଙ୍କର ଧ୍ୟାନ ଆକର୍ଷଣ କରିଛି। ଅନ୍ୟ ଫଟୋଟିରେ ବୋଲିଂ ପ୍ରଶିକ୍ଷକ ଭରତ ଅରୁଣ କିଛି ସହକାରୀ କର୍ମଚାରୀଙ୍କ ସହ ଅଛନ୍ତି। ତୃତୀୟ ଫଟୋରେ ଅଧିନାୟକ ବିରାଟ କୋହଲି ଦେଖିବାକୁ ମିଳୁଛନ୍ତି। ସେପଟେ ଇଂଲଣ୍ଡ ମଙ୍ଗଳବାର ସକାଳେ ପ୍ରଥମ ଆଉଟ୍‌ଡୋର ଅଭ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଇଂଲଣ୍ଡ ଦଳର ତାରକା ଅଲରାଉଣ୍ଡର ବେନ୍ ‌ଷ୍ଟୋକ୍ସ, ଜୋର୍ଫା ଆର୍ଚର ଓ ରୋରି ବର୍ନସ ପୂର୍ବରୁ କୋଭିଡ୍ ପରୀକ୍ଷା ଶେଷ କରି ସାରିଥିଲା ବେଳେ ଅଭ୍ୟାସ ବି ଆରମ୍ଭ କରି ସାରିଛନ୍ତି। ଏହି ଖେଳାଳିମାନେ ସିଧାସଳଖ ଇଂଲଣ୍ଡରୁ ଭାରତ ଆସିଥିଲେ। ଅନ୍ୟ ଇଂଲିସ୍ ଖେଳାଳିମାନେ ଶ୍ରୀଲଙ୍କାରେ ଶୃଙ୍ଖଳା ଖେଳି ଟିକିଏ ବିଳମ୍ବରେ ଚେନ୍ନାଇକୁ ଆସିଥିଲେ।

ଭାରତ-ଇଂଲଣ୍ଡ ଟେଷ୍ଟ୍ ଶୃଙ୍ଖଳାର ଦ୍ବିତୀୟ ଟେଷ୍ଟ୍‌ରେ ୫୦% ଦର୍ଶକଙ୍କୁ ଷ୍ଟାଡିୟମ୍ ପ୍ରବେଶ ଅନୁମତି ମିଳିବ। ତାମିଲନାଡୁ କ୍ରିକେଟ୍ ସଂଘ ସୋମବାର ଏହି ଘୋଷଣା କରିଛି। କ୍ରିକେଟ୍ ସମେତ ସବୁ ଖେଳରେ ୫୦% ଦର୍ଶକଙ୍କ ଉପସ୍ଥିତିକୁ ତାମିଲନାଡୁ ସରକାର ଅନୁମତି ପ୍ରଦାନ କରିବା ପରେ ସଂଘ ଏହି ନିଷ୍ପତ୍ତି ନେଇଛି। ପ୍ରଥମ ଟେଷ୍ଟ୍‌ରୁ ହିଁ ଦର୍ଶକଙ୍କୁ ଅନୁମତି ଦେବାକୁ ସଂଘ ବିଚାର କରୁଥିଲେ ମଧ୍ୟ ସମୟ ଅଭାବରୁ ଏହି ନିଷ୍ପତ୍ତିକୁ ବାତିଲ କରିବାକୁ ସଂଘ ବାଧ୍ୟ ହୋଇଥିଲା। ତେବେ ଦ୍ବିତୀୟ ଟେଷ୍ଟ୍‌ରୁ ଏମ୍‌ ଏ ଚିଦାମ୍ବରମ୍ ଷ୍ଟାଡିୟମର ୫୦ ପ୍ରତିଶତ ଅର୍ଥାତ୍ ୨୫୦୦୦ ଦର୍ଶକଙ୍କୁ ଅନୁମତି ମିଳିବ ବୋଲି ସଂଘର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ବିସିସିଆଇ ଏବଂ ସଂଘ ମଧ୍ୟରେ ଏଥିନେଇ ଆଲୋଚନା ହେବା ପରେ ଦ୍ବିତୀୟ ଟେଷ୍ଟ୍‌ରୁ ଦର୍ଶକଙ୍କୁ ଅନୁମତି ଦେବାକୁ ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି। ଅହମ୍ମଦାବାଦରେ ଖେଳାଯିବାକୁ ଥିବା ତୃତୀୟ ଏବଂ ଚତୁର୍ଥ ଟେଷ୍ଟ୍ ଲାଗି ପୂର୍ବରୁ ଗୁଜରାଟ କ୍ରିକେଟ୍ ସଂଘ ଦର୍ଶକଙ୍କୁ ଅନୁମତି ପ୍ରଦାନ କରି ସାରିଛି।

Read Previous

୧୫ ବର୍ଷର ପୁରୁଣା ବାଣିଜ୍ୟିକ ଗାଡ଼ି, ୨୦ ବର୍ଷର ପୁରୁଣା ବ୍ୟକ୍ତିଗତ ଗାଡ଼ି ରାସ୍ତାରୁ ହଟିବ

Read Next

Classes of PG 1st yr, Plus 3 2nd Yr students to resume on Feb 10; check exam dates

Leave a Reply

Your email address will not be published. Required fields are marked *